ମୁମ୍ବାଇ ୨୪/୦୧: ଅଭିନେତା ସୈଫ୍ ଅଲି ଖାନ୍ଙ୍କୁ ଛୁରାମାଡ଼ ମାମଲାରେ ରାଜନୀତି ଆରମ୍ଭ ହୋଇଯାଇଛି । ମହାରାଷ୍ଟ୍ରର ମନ୍ତ୍ରୀ ତଥା ବିଜେପି ନେତା ନିତେଶ ରାଣେ ସୈଫ୍ଙ୍କୁ ଅଳିଆ କହିଛନ୍ତି । ପୁନେର ଏକ ସଭାରେ ସେ କହିଛନ୍ତି, ବାଂଲାଦେଶୀମାନେ ପୂର୍ବରୁ ରାସ୍ତାକଡ଼ରେ ଛିଡ଼ା ହେଉଥିଲେ । ଏବେ ସେମାନେ ଘରେ ପଶୁଛନ୍ତି । ଜଣେ ବାଂଲାଦେଶୀ ଅଭିନେତାଙ୍କ ଘରେ ପଶିଯାଇଥିଲା । ତାଙ୍କୁ ବୋଧହୁଏ ସାଙ୍ଗରେ ନେଇଯିବାକୁ ଆସିଥିଲା । ଅଳିଆକୁ ସାଙ୍ଗରେ ନେଇଯାଇଥିଲେ ଭଲ ହୋଇଥାନ୍ତା । ଏନ୍ସିପି (ଶରଦ ପାୱାର) ନେତା ସୁପ୍ରିୟା ସୁଲେ ଏବଂ ଜିତେନ୍ଦ୍ର ଅହ୍ୱାଦ ସୈଫ୍ ଅଲି ଖାନ୍, ଶାହରୁଖ ଖାନ୍ଙ୍କ ପୁଅ ଏବଂ ନୱାବ ମଲିକଙ୍କୁ ନେଇ ଚିନ୍ତାବ୍ୟକ୍ତ କରୁଛନ୍ତି । ଯେବେ କୌଣସି ହିନ୍ଦୁ ଅଭିନେତାଙ୍କ ଉପରେ ଆକ୍ରମଣ ହେଉଛି, ସେମାନେ ଆଗକୁ ଆସୁନାହାନ୍ତି ।
ରାଣେ ଆହୁରି କହିଛନ୍ତି, ସୈଫ୍ ଯେତେବେଳେ ହସ୍ପିଟାଲରୁ ବାହାରିଲେ ମୁଁ ଦେଖିଥିଲି । ତାଙ୍କ ଉପରେ ଆକ୍ରମଣ ହେବା ନେଇ ମୋର ସନ୍ଦେହ ହେଉଛି । ତାଙ୍କୁ ହମ୍ଲା ହୋଇଥିଲା ନା ସେ ଅଭିନୟ କରୁଥିଲେ । ସେ ଜେଲରୁ ବାହାରିବା ପରେ ଚାଲି ଚାଲି ଯାଇ ନାଚୁଥିଲେ । ଏହା ପୂର୍ବରୁ ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ନିରୁପମ୍ ମଧ୍ୟ ସୈଫ୍ଙ୍କୁ ହସ୍ପିଟାଲରୁ ଶୀଘ୍ର ଡିସ୍ଚାର୍ଜ କରାଯିବାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ସେ କହିଥିଲେ, ଜଣକ ଉପରେ ୬ ଥର ଛୁରି ଦ୍ୱାରା ଆକ୍ରମଣ ହେଉଛି । ୬ ଘଣ୍ଟା ଧରି ସର୍ଜରି କରାଯାଉଛି । କିନ୍ତୁ ୪ ଦିନ ପରେ ଡିସ୍ଚାର୍ଜ କରି ଦିଆଯାଉଛି । ଏହା କିଭଳି ସମ୍ଭବ ହେଲା? ଆମ ଚିକିତ୍ସା ବିଜ୍ଞାନ କ’ଣ ଏତେ ଦକ୍ଷ? ଅଭିନେତାଙ୍କ ପରିବାର ଲୋକ ଆଗକୁ ଆସି ପ୍ରକୃତ ଘଟଣା କହିବା ଆବଶ୍ୟକ । କାରଣ ଏହା ମୁମ୍ବାଇର ସୁରକ୍ଷାର ପ୍ରଶ୍ନ ।
ଉଲ୍ଲେଖଯୋଗ୍ୟ, ଜାନୁଆରୀ ୧୫ ବିଳମ୍ବିତ ରାତିରେ ବାନ୍ଦ୍ରାସ୍ଥିତ ସତ୍ଗୁରୁ ଶରଣ ଆପାର୍ଟମେଣ୍ଟରେ ସୈଫ୍ଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହାପରେ ତାଙ୍କୁ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣାରେ ବାଂଲାଦେଶୀ ଅଭିଯୁକ୍ତକୁ ଗିରଫ କରାଯାଇଛି ।